ଓଡ଼ିଆ ଲିପିକୁ ଲାଗିଛି ଗ୍ରହଣ

ଓଡ଼ିଆ ଲିପିକୁ ଲାଗିଛି ଗ୍ରହଣ
ମାତୃଭାଷାର ବେଦନା ମା’ର ବେଦନା। ନିଜ ଭାଷାକୁ ପତନରୁ ରକ୍ଷା କରିବା ପ୍ରତ୍ୟେକ ଓଡ଼ିଆ ଭାଷୀ,ଓଡ଼ିଆ ଭାଷାପ୍ରେମୀ ଏବଂ ଓଡ଼ିଶା ସରକାରଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଖବରକାଗଜ,ପତ୍ରପତ୍ରିକା,ଟିଭି ଓ ବିଜ୍ଞାପନରେ ଅନେକ ଓଡ଼ିଆ ଫଣ୍ଟର ବ୍ୟବହାର ଦେଖିବାକୁ ମିଳେ। ଏଥିରୁ ଅନେକ ଲିପି ଅଣଓଡ଼ିଆ ଲିପି ନିର୍ମାତା ତିଆରି କରିଛନ୍ତି। ଏଥରୁ ଅଧିକାଂଶ ଲିପି ଗୁଡ଼ିକର କିଛି ବାଗ ବରଗ ନାହିଁ। କିଏ ତେଢ଼ା ତ କିଏ କୁଜା ତ ଆଉ କିଏ ଚେପଟା। ସେଥିରେ ମୌଳିକ ଓଡ଼ିଆ ଲିପିର ସୌନ୍ଦର୍ଯ୍ୟଜ୍ଞାନ ରହିବା ତ ଦୂରର କଥା ବରଂ ଅନେକ ସ୍ଥାନରେ ବେଢ଼ଙ୍ଗିଆ ଓ କଦାକାର ହୋଇଛି। ଆପଣ ପୁରୁଣା ବହିଟିଏ ବାହାର କରନ୍ତୁ ଓ ସେଥିରେ ଛପା ଯାଇଥିବା ଲିପି ସହିତ ଆଜିର ଖବରକାଗଜରେ ଛପାଯାଇଥିବା ଲିପିକୁ ତୁଳନା କରି ଦେଖନ୍ତୁ, ନିଜେ ଜାଣିଯିବେ କେତେ ସବୁ ଭୁଲ୍ ଅଛି। ପିଲାଟିଏ ଅକ୍ଷର ଗୋଲ ନ ହେଲେ ମାଡ଼ ଖାଏ, କିନ୍ତୁ ସେ ଯେତେବେଳେ ତା ପଢ଼ାବହିରେ ଥିବା ଓଡ଼ିଆ ଲିପିକୁ ଅଙ୍ଗୁଳି ନିର୍ଦ୍ଦେଶ କରେ ତା କଥା କିଏ ଶୁଣେ ? ଏବେ ସବୁ ବହିରେ ଛପା ଯାଇଥିବା ଲିପି ଗୁଡିକ ବିକୃତ ତେବେ ଆଗାମୀ କାଳରେ ଆମେ କ'ଣ କହିବା ଆମ ସମୟରେ କମ୍ପୁଟର ରହି ମଧ୍ୟ ଆମେ କଦର୍ଯ୍ୟ ଲିପି ବ୍ୟବହାର କରୁଥିଲୁ କି ଓଡ଼ିଆ ଲିପିର ସୌନ୍ଦର୍ଯ୍ୟ ଆମକୁ ଜଣା ନଥିଲା ? ଉଦାହରଣ ସ୍ୱରୂପ ଅଣଓଡ଼ିଆ ତିଆରି କରିଥିବା ଲିପି ଗୁଡ଼ିକରେ ଇ, ଭ, ର, ଲ ଆଦିର ଲାଞ୍ଜକୁ ଦେଖନ୍ତୁ, ସବୁ ପେଟରୁ ବାହାରିଛି, ନିରିଖେଇ ଦେଖିଲେ କାହାରି କାହାରି ଛାତିରୁ ବାହାରିଥିବାର ପାଇଯିବେ। ହ୍ରସ୍ୱଇ କାର ପବନରେ ଉଡ଼ିଯାଉଥିବା ଛତା ପଟି ବା ଡାହାଣ ଆଡ଼କୁ ଢଳି ପଡ଼ିଛି, ଯୁକ୍ତାକ୍ଷର କଥା ନ କହିଲେ ଭଲ। କେଉଁଠି ହାତୀକୁ ବାଘ ମାଡ଼ି ବସିଲାଣି ତ କେଉଁଠି ପିମ୍ପୂଡ଼ି ପିଠିରେ ଓଟ ବସିଛି। ପୂର୍ଣ୍ଣଛେଦର ଆକାର, ପ୍ରକାର,ଦୂରତାକୁ ଦେଖନ୍ତୁ। ନିଜ ସାମନାରେ ଥିବା ଓଡ଼ିଆ ଲିପିକୁ ଟିକେ ନିରିଖେଇ ଦେଖନ୍ତୁ, ନିଜେ ଲେଖିଲା ବେଳେ କ'ଣ ଆପଣ ଏମିତି ଲେଖିବେ? ଓଡ଼ିଆ ଲିପିକୁ କଦର୍ଯ୍ୟ କଦାକାର କରିବାକୁ ହାତ ଯିବନି। ଏଇ କିମୂତ କିମାକାର ଲିପି ପାଇଁ ଆଜି ଓଡ଼ିଆ ପଠନ ପାଠନରେ ରୁଚି କମି ଯାଉଛି। ଦୁଃଖ ଓ ପରିତାପର ବିଷୟ ହେଲା, ତଥାପି ଆମେ ଓଡ଼ିଆ ମାନେ ଅଣଓଡ଼ିଆ ତିଆରି କରିଥିବା ଲିପି ପ୍ରତି ନିର୍ବିକାର। ଆମ ଲିପିର ମୌଳିକ ସୌନ୍ଦର୍ଯ୍ୟ ଉପରେ ଏହା ଯେ ଏକ କୁଠାରାଘାତ ଏ କଥା କ'ଣ ସତ ନୁହେଁ ? ଏଇ ଦୁଃଖ ଓ ବେଦନାର ତାଡ଼ନାରେ ମୁଁ ଓଡ଼ିଆ ଲିପି ନିର୍ମାଣ ପାଇଁ ଆଗଭର ହୋଇଥିଲି। ଯେଉଁଠାରେ ଆଜି ଓଡ଼ିଆ ଭାଷା ଓ ଲିପି ଅବହେଳିତ ବୋଲି ଆମେ ଅନୁଭବ କରୁ, ସେ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର,ପ୍ରଚାର,ପ୍ରସାର କରିବା ମୋର ଲକ୍ଷ୍ୟ। 1994ରୁ ଆଜି ପର୍ଯ୍ୟନ୍ତ ବହୁତ ଓଡ଼ିଆ ଲିପି ନିର୍ମାଣ କରି ସାରିଛି,ତା ସାଙ୍ଗକୁ କମ୍ପ୍ୟୁଟରରେ ଓଡ଼ିଆ କାମ କରିବାପାଇଁ ଅନେକ ଉପକରଣ, ଓଡ଼ିଆ ଭାଷା ଭିତ୍ତିକ ଆଇଟି ସମାଧାନ ମଧ୍ୟ ଦେଇଛି। ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ନିଜର କାମ ନିରଳସ ଭାବେ ଜାରି ରଖିବି ବୋଲି ପଣ ନେଇଛି। କିନ୍ତୁ ଯେତିକି ଏହି ୨୦ ରୁ ୨୫ ବର୍ଷରେ ସବୁ କାମ କଦର୍ଜ ହୋଇଛି ଏହି କାମକୁ ଠିକ୍ କରିବା ଆମ ସମସ୍ତଙ୍କ ସହିତ ଓଡ଼ିଶା ସରକାରଙ୍କ ସାହାର୍ଯ୍ୟ ନିହାତି ଦରକାର । ନହେଲେ ଓଡ଼ିଆ ଲିପି କଦର୍ଯ୍ୟ କଦାକାର ହୋଇଚାଲିଥିବ । ଓଡ଼ିଆ ଲିପିର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ନୁହେଁ କି ? ମୋର ବିନୀତ ନିବେଦନ ଆମେ ସମସ୍ତେ ଆଜି ସଂକଳ୍ପ ନେବା ଯେ ଅତି କମ୍ ରେ ଆମେ ନିଜେ ଏଇ ବେଢଙ୍ଗିଆ ଲିପି ବ୍ୟବହାରରୁ ବିରତ ହେବା ଓ ଅନ୍ୟମାନଙ୍କୁ ଏ ଦିଗରେ ନିରୁତ୍ସାହିତ କରିବା। ଆଉ ଯଦି ପାରିବା ଏହାକୁ ବନ୍ଦ କରିବା । ଓଡ଼ିଆ ଲିପି ବିକାଶରେ ସମସ୍ତେ ହାତ ମିଶାଇବା ଓ ଓଡ଼ିଆ ଲିପିର ମୌଳିକ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖୁଥିବା ଲିପିକୁ ବ୍ୟବହାର କରିବା। ଓଡ଼ିଆ ଭାଷା ଓ ଲିପିକୁ ସରଳ,ସୁନ୍ଦର,ସରସ କରିବା। ଆମ ଓଡ଼ିଆ ଭାଷାର ଟେକ ରଖିବା।

What's Your Reaction?

like

dislike

love

funny

angry

sad

wow