ଜନ୍ମାଷ୍ଟମୀ
କୃଷ୍ଣ ଜନ୍ମାଷ୍ଟମୀ, କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ, ଶ୍ରୀକୃଷ୍ଣ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଏହା ଜଣାଶୁଣା। ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଉଁ। ଏହା ଉପରେ ମୋର କବିତା ...
ଭାଦ୍ର କୃଷ୍ଣ ଅଷ୍ଟମୀର
ବର୍ଷଣ ରାତିରେ।
ଆଗମନ ହୋଇଥିଲା
ଏଇ ଧରଣୀରେ।
ଆର୍ତ୍ତଜନ ଡାକଶୁଣି
କୃଷ୍ଣ ଅବତାରେ
ଜନମିଲେ ବନ୍ଦିଘରେ
ଦେବକୀ କୋଳରେ।
ବସୁଦେବ କାନ୍ଧେ ବୋହି
ଯମୁନା ହେଲା ପାରି।
କୂଳ ଲଂଘା ଜଳ ହେଲା
ଆଣ୍ଠୁଏର ସରି।
ନିଦ୍ରାଦେବୀ ମହାନିଦ୍ରା
ସରଜନା କରି।
ମୋହିତ କରିଲେ ଜନ
ପଦ ନରନାରୀ।
ଗୋପପୁରେ ଜନ୍ମିଥିଲେ
ଯଶୋଦା କୋଳରେ।
ଯୋଗମାୟା କନ୍ୟାହୋଇ
ଅତି ଉଲ୍ଲାସରେ।
ପାଲଟାଇ ବସୁଦେବ
ନନ୍ଦଙ୍କ ସଙ୍ଗରେ।
ନେଇଣ ଆଣିଲେ କନ୍ୟା
ରାତିକ ମଧ୍ୟରେ।
ପ୍ରଭାତକୁ କୁଆଁ କୁଆଁ
କନ୍ୟା କାନ୍ଦଶୁଣି।
ପ୍ରହରୀ ଜାଗ୍ରତ ହେଲେ
ପାହିଛି ରଜନୀ।
କଂସକୁ ସତ୍ବରେ ଯାଇ
କହିଲେ ଖବର।
ଜନ୍ମିଛି ସନ୍ତାନ ଟିଏ
ଦେବକୀ କୋଳର।
ସତ୍ବରେ ଧାଇଁଲା କଂସ
ମୃତ୍ୟୁ ସମ୍ମୁଖରେ।
ଟାଣି ନେଇ ଦେଖେଯେବେ
କନ୍ୟାର ଆକାରେ।
ଦେବକୀ କହନ୍ତି କଂସ
ପୁତ୍ର ନୁହେଁ କନ୍ୟା।
ତୋହର ବଇରୀ ନୁହେଁ
ଭାଣିଜୀ ମହାପୁଣ୍ୟା।
ଭଣଜା ଭାଣିଜୀ ପୁଣ୍ୟ
ସବୁଠୁ ଆଗରେ।
ବ୍ରାହ୍ମଣ ଦାନରୁ ଉଚ୍ଚା
ହଜାରେ ଗୁଣରେ।
କନ୍ୟା ହନ୍ତା ହୁଅନାହିଁ
କର ଜୀବଦାନ।
କ୍ଷତି କିଛି କରିବନି
ମୋହର ବଚନ।
କଂସ କ୍ଷଣେ ଦବିଯାଇ
ଫେରାଇ ଦିଅଇ।
ନାରଦଙ୍କ କଥା ତାକୁ
ଚେତାଇ ଦିଅଇ।
ଅଷ୍ଟମ ଗର୍ଭ ସନ୍ତାନ
ତା ମୃତ୍ୟୁ କାରଣ।
କନ୍ୟା ଅବା ପୁତ୍ର
ତାକୁ ମାରିବି ତକ୍ଷଣ।
ଦର୍ପଣ ଶିଳାରେ ନେଇ
କଚାଡି ମାରିଲା।
ହାତରୁ ଖସିଲା କନ୍ୟା
ସ୍ବର୍ଗେ ଉଡିଗଲା।
କହିଲାରେ କଂସତୋର
ମୃତ୍ୟୁର କାରଣ।
ଗୋପପୁରେ ଜନ୍ମିଅଛି
ହୋଇକା ନନ୍ଦନ।
କଂସର ହାଲୁକା ଶୁଖି
ମୁଣ୍ଡ ଘୁରାଇଲା।
କେମିତି ବଇରୀ ଶୀଘ୍ର
ନାଶିବି ପାଞ୍ଚିଲା।
କୃଷ୍ଣ ରହି ଗୋପପୁରେ
ବଢିଲେ ଖୁସିିରେ।
ଅପୁତ୍ରିକ ଘରେ ପୁତ୍ର
ମିଳିଛି ଭାଗ୍ୟରେ।
ଗୋପ ଗୋପୀ ସର୍ବେ ମିଳି
ନାଚନ୍ତି ଖୁସିରେ।
ଯଶୋଦା ନନ୍ଦଙ୍କ ପାଦ
ନପଡେ ମହୀରେ।
କୃଷ୍ଣ ଜନ୍ମଦିନ କୁ
ଜନ୍ମାଷ୍ଟମୀ ର ରୂପରେ।
ପାଳନ କରିଲେ ସର୍ବେ
ପ୍ରତି ଘରେଘରେ।