ଦଶହରା

ଦଶହରା
ଭାଦ୍ରବ ସରିଲା ଆଶ୍ୱିନ ଆସିଲା ଅନୁଭୂତି ନୂଆ ନୂଆ, ଶରତ ଋତୁର କାଶତଣ୍ଡୀ ଫୁଲ ମନେ ଶିହରଣ ଛୁଆଁ। ଲାଗୁଥିଲା ଫିକା ଏଇ କିଛି ଦିନ ହସିବ ଏ ଧରାଧାମ, ସବୁଠି ଚଞ୍ଚଳ ମୁଖେ ଗୁଞ୍ଜରିତ ଗୋଟିଏ ପୂଜାର ନାମ। ଆସୁଛି ଦଶହରା କମ୍ପିବ ସହର ଦୁଲୁକି ଉଠିବ ଛକ, ଦିନ ପରେ ରାତି ରାତି ପରେ ଦିନ ଗଡୁଛି ସମୟ ଚକ। ମେଲୋଡି ସାଙ୍ଗକୁ ନାଚ ଗୀତ ବ୍ୟଙ୍ଗ ବ୍ୟାକୁଳିତ ହୁଏ ମନ, ଗାଡି ପୂଜା ସଙ୍ଗେ ପିଠାପଣା ମଜା ହେବ ଦଶହରା ଦିନ। ପ୍ରସ୍ତୁତି ଶେଷରେ ସବୁ ଦେବୀପୀଠ ଝଲସି ଉଠୁଛି ଆଖି, ଦେଖି ରାଜଧାନୀ ମେଲଣ ତୋରଣ ଆଖି ମୋ ଯାଉଛି ଲାଖି। ଶିଳ୍ପୀ ତ ଦେଲାଣି ଶେଷ ସ୍ପର୍ଶ ତା’ର ରଙ୍ଗରେ ରଙ୍ଗେଇ ମୂର୍ତ୍ତି, ପାଟ ଅଳଙ୍କାର ପିନ୍ଧିଲେ ମାଆ ମୋ ଆସେ ମନେ ଭାବ ଭକ୍ତି। ଆସୁଛନ୍ତି ମାଆ ଦୁର୍ଗତିନାଶିନୀ ଦଶଭୂଜା ରୂପ ନେଇ, ବିନାଶ କରିବେ ପାପୀ ମାନଙ୍କୁ ଏ ଜଗତ ଉଦ୍ଧାର ପାଇଁ। ସିଂହର ବାହାନେ ଦେବୀଙ୍କର ରୂପ ଥରାଇ ଦିଏ ଏ ଛାତି, ପାଇ ଯିବ ପାପୀ କରମର ଫଳ ନାହିଁ ତାର ଅନ୍ୟ ଗତି। ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ସାଥିରେ ଭସାଣି ମଜା, ଜମିବ ନାଚଟା ଭସାଣି ବେଳକୁ କମ୍ପି ତୂରୀ ସିଂଘ ବାଜା। ସଜବାଜ ହୋଇ ଦେଖିବା ହେ ଚାଲ କଟକର ଚାନ୍ଦି ମେଢ଼, ସରସ୍ଵତୀ ଦେବୀ ବୀଣା ଧରିଛନ୍ତି ଲକ୍ଷ୍ମୀଙ୍କର ପଦ୍ମକଢ଼। ଲଡୁ ଧରି ହାତେ ବିଘ୍ନ ବିନାୟକ ମୂଷିକ ରହିଛି ଚାହିଁ, ମହିଷାସୁରଟା ଚିତ୍କାର କରୁଛି ଛାଡ଼ ମୋତେ ମାର ନାହିଁ। ଆସୁଛନ୍ତି ଉଡି କାର୍ତ୍ତିକ ଦେବତା ମୟୂର ବାହନ ନେଇ, ସବୁ ଦେବାଦେବୀ ସଜାଗ ଅଛନ୍ତି ଶତ୍ରୁର ସଂହାର ପାଇଁ। ବିକଟାଳ ରୂପ ଧରି ମାଆ ମୋର ବିନାଶେ ମହିଷାସୁର, ପ୍ରତିଶୋଧ ଲୋଭେ ସିଂହ ଛେଦେ ଗଳା ପ୍ରାଣ ଛାଡେ ମଇଁଷିର। କୁକର୍ମ ବିନାଶେ ଶାନ୍ତିର ସ୍ଥାପନ ରାବଣର ପରାଜୟ, ଅଗ୍ନି ଶିଖା ଧ୍ଵଂସେ ରାବଣର ତନୁ ସୁଖ ଶାନ୍ତିର ବିଜୟ। ଗଡି ଗଲା ଦିନ ସରିଗଲା ପୂଜା ଭସାଣି ଆସିଲା ଚାଲି, ଏକା କରିଦେଇ ଚାଲିଗଲେ ମାଆ ଲୁହର ଜୁଆର ଖୋଲି। ଆର ବରଷକୁ ଅପେକ୍ଷାରେ ଆମେ ମାଆର ବାଟକୁ ଚାହିଁ, ବରଷକେ ଥରେ ଆସିବେ ମାଆ ମୋ ଜଗତ ମଙ୍ଗଳ ପାଇଁ।

What's Your Reaction?

like

dislike

love

funny

angry

sad

wow