"ଭକ୍ତି ର ଭାବ"
ନ ଦେଖି ତୁମକୁ ପ୍ରଭୁ ପାରୁନି ମୁଁ ରହି ,
ଏ ଛାତି କୋହକୁ ମନ ଆପେ ଯାଏ ସହି
ମନକୁ ପଚ଼ାରେ ଯଦି ଉଣା କିଛି ତୋର ,
ମନ କହେ ଏ ଜୀବନେ ଜଗା ହିଁ ନିଜର
ରୋକି ମୁଁ ପାରୁନି ଏ ଆଖିର ଲୁହ,
ଯେବେ ଦେଖେ ଆଖି ତୁମ ଶ୍ରୀମୁହଁ
କହରେ କାଳିଆ ଆଜି ତୁ କହ ,
ଡାକେ କି ଭାବରେ ମତେ ତୋ ପ୍ରେମର ମୋହ (୧)
ମନର ଦୁଃଖକୁ ତତେ ପାରୁନି ମୁଁ କହି ,
ଏ ଆଖିର ଲୁହ ସବୁ ଆପେ ଯାଏ ବହି
ଆଖିର ଲୁହକୁ ଓଠ କରେ କିବା ପର ,
ଓଠ ରୁ ଆଖିର ବାଟ ନୁହେଁ ବେଶୀ ଦୂର
ଛାତି ତଳେ ଚ଼ାପେ ଯେତେ ଏ ମନର କୋହ ,
ହୃଦୟ ବି ଦିଏ ଧୋକା ହୁଏ ସେ ନିର୍ଦୟ
କହରେ କାଳିଆ ଆଜି ତୁ କହ ,
ଡାକେ କି ଭାବରେ ମତେ ତୋ ପ୍ରେମର ମୋହ (୨)
ରାତି ପରେ ଦିନ ଆସେ ଯାଏ ସେ ତ ବହି ,
ଦେଖୁଥାଏ ତୋ ସପନ ରାତି ଯାଏ ପାହି
କରିଦିଏ ଦୂର ଯଦି ମତେ ଏ ସହର ,
କରିବୁକି ପର ମତେ ତୁ ଏକା ନିଜର
ଦୁଃଖୀର ଅଭାବ ନାହିଁ ତୋ ପାଶେ ତ ଶହ ଶହ ,
କମେକି ଦୁଃଖୀର ଦୁଃଖ ପୋଛୁକି ଆଖିର ଲୁହ
କହରେ କାଳିଆ ଆଜି ତୁ କହ ,
ଡାକେ କି ଭାବରେ ମତେ ତୋ ପ୍ରେମର ମୋହ (୩)
ତୁମ ବାହୁ ତଳେ ପ୍ରଭୁ ରହିଛି ଏ ମହୀ ,
ଗଡୁଛି ଏ ଜୀବରଥ ତୁମ ବାନା ଚାହିଁ
ତୁମେ ତ ସାରଥୀ ଏ ଜୀବରଥ ମୋର ,
ଉଦ୍ଧାର ଦୁଃଖରୁ ମତେ ହେ କଳାଠାକୁର
ବଢୁଛି ଏ ଦୁଃଖ ମୋର ଜୀବନ ତ ଦିଏ ଦହ ,
ସେ ଦୁଃଖେ ଜଳୁଛି ମୁଁ କେତେ ଯେ ଜଳିବି କହ
କହରେ କାଳିଆ ଆଜି ତୁ କହ ,
ଡାକେ କି ଭାବରେ ମତେ ତୋ ପ୍ରେମର ମୋହ (୪)