“ବୁଲା”

" ମନୁଷ୍ୟର ଉପସ୍ଥିତି ର ପ୍ରକୃତ ମୂଲ୍ୟ ତା’ର ଅନୁପସ୍ଥିତିରେ ହିଁ ଜଣାପଡ଼େ "

“ବୁଲା”
“ବୁଲା”
ଅନାଥ ମଣିଷ ଟିଏ ନାଁ ତା'ର 'ବୁଲା',ପିଲାଦିନରୁ ବାପା,ମା କ’ଣ ସେ ଜାଣେ ନାହିଁ,ଅଧା ପାଗଳ କିନ୍ତୁ କାହାର କ୍ଷତି କରିବା ତ ଦୂରର କଥା, କାହା ମନରେ କଷ୍ଟ ଟିଏ ବି ଦିଏ ନାହିଁ, ଅଧା ପାଗଳ ହେତୁ ତା ସାଙ୍ଗ କେହି ହୁଅନ୍ତି ନାହିଁ,କି ତା ସହ କେହି କଥା ବି ହୁଅନ୍ତି ନାହିଁ,ତେଣୁ ତା'ର ସାଙ୍ଗ ହେଲେ ବୁଲା କୁକୁର ଓ ବାସ ସ୍ଥାନ ରାସ୍ତା କଡ଼ । ବାର ଦୁଆର ମାଗିଜଚି଼ ଯାହା ପାଏ ସେଥିରେ କଷ୍ଟେ ମଷ୍ଟେ ବଞ୍ଚିଯାଏ,ଦିନେ ଦିନେ ତାକୁ ଭୋକ ଉପାସରେ ରହିବାକୁ ବି ପଡ଼େ। 'ବୁଲା' ର ଗୋଟେ ବଡ଼ ଭଲ ଗୁଣ ହେଉଛି ସେ ଅଳିଆ ବା ଅପରିଷ୍କାର କୁ ସହ୍ୟ କରିପାରେ ନାହିଁ, କାରଣ ତା ନଜରରେ “ସେ ଏ ଦୁନିଆ ପ।ଇଁ ସବୁଠୁ ବଡ଼ ଅଳିଆ” ସେଥି ପାଇଁ ତ ଏ ସମାଜରେ ତା'ର ଉପସ୍ଥିତି ଓ ଅନୁପସ୍ଥିତି ଉଭୟ ସମାନ। ରାସ୍ତା ର ସବୁ ଅଳିଆକୁ 'ବୁଲା' ନିଜେ ଅତି ଆଗ୍ରହର ସହ ସଫା କରେ, ପରନ୍ତୁ କାହାଠୁ ସ।ବାସ୍ ପାଇବା ପାଇଁ ନୁହେଁ, ବରଂ ଏକ ସୁନ୍ଦର,ସୁସ୍ଥ ଓ ପରିଷ୍କାର ପରିବେଶ ଗଠନରେ ସେ ସର୍ବଦା ଚେଷ୍ଟାରତ ମାତ୍ର ଏହା ଯେ ତା'ର ପାଗଳାମି ପ୍ରକୃତିର ପରିଚୟ ତାହା କେହି ଜାଣନ୍ତି ନାହିଁ, ତା'ର ଏ କାମ ପ୍ରତି କାହାର ନଜର ନଥାଏ,ସତେ ଯେପରି ସମସ୍ତଙ୍କ ନଜରରେ ସେ ଏ ସମାଜ ପାଇଁ ଅଲୋଡ଼ା ଓ ଅଦରକାରୀ । ମଣିଷ ଯେତେ ଶିକ୍ଷିତ ହେଲେ ବି ବେଳେ ବେଳେ ନିଜର ସାଧାରଣ ଜ୍ଞାନ ମଧ୍ୟ ହରାଇବସେ,"ପରିବେଶ ସୁରକ୍ଷା ତ ନିଜ ସୁରକ୍ଷା" ଏହା ମଣିଷ ଜାଣେ ସତ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କଥା ତା'ର ମନକୁ ବି ଆସେ ନାହିଁ । ମହାନ୍ତି ବାବୁ ଙ୍କ ପତ୍ନୀ ‘ମନୋରମା ଦେବୀ’ ବହୁ ଶିକ୍ଷିତ ଓ ସଂଭ୍ରାନ୍ତ ପରିବାରର ସଦସ୍ୟା ପରନ୍ତୁ ମନରେ ଅହେତୁକ ଗର୍ବ ଓ ଅହଙ୍କାର ହେତୁ ସେ କାହାକୁ ବି ମାନନ୍ତି ନାହିଁ ବା କାହା କଥା ଶୁଣନ୍ତି ନାହିଁ। ସବୁଦିନ ସବୁବେଳେ ‘ମନୋରମା ଦେବୀ’ ରାସ୍ତା କଡ଼ରେ ଅଳିଆ ପକାନ୍ତି,'ବୁଲା' ଯେତେ ମନା କଲେ ବି ସେ ପାଗଳ ହେତୁ ତା କଥାକୁ ଶୁଣିବା ତ ଦୂରର କଥା ବରଂ ତାକୁ ମାର୍ ଧର୍ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଯେହେତୁ ମହାନ୍ତି ବାବୁ ସେ ଅଞ୍ଚଳର ଧନୀ ଲୋକ 'ବୁଲା' ବହୁ ସମୟରେ ତାଙ୍କ ଘରକୁ ଖାଦ୍ୟ ଖାଇବା ଲୋଭରେ ଯାଇଥାଏ, ଓ ଫାଟକ ସମ୍ମୁଖରେ ଛିଡା ହୋଇ ମା,ମା କହି ଡାକେ ମାତ୍ର ‘ମା’ ତା'ର ଡାକ ଶୁଣନ୍ତି ନାହିଁ, ବରଂ ତା ଆଖି ଆଗରେ ତାଙ୍କ ପାଳିତ କୁକୁରକୁ ରୁଟି,ତରକାରୀ,ଭାତ ଖାଇବାକୁ ଦିଅନ୍ତି, ଓ 'ବୁଲା'କୁ ଠେଙ୍ଗା ରେ ମାର୍ ଧର୍ କରିବାକୁ ଗୋଡ଼େଇ ଆସନ୍ତି। ମାତ୍ର ଏତେ ଦୁଃଖ,କଷ୍ଟ ଓ ନିର୍ଜାତନା ପାଇ ମଧ୍ୟ 'ବୁଲା' ଅତି ଆଗ୍ରହର ସହିତ 'ମନୋରମା ଦେବୀ'ପକାଇଥିବା ଅଳିଆକୁ ନିଜେ ସଫା କରିଥାଏ ଓ ପରିଷ୍କାର ପରିବେଶଟିଏ ଦେଖିଲେ 'ବୁଲା' ମୁହଁରେ ଖେଳିଯାଏ ଏକ ଅଦ୍ଭୁତ ଖୁସି ଓ ଓଠ ରେ ଚାଲିଆସେ ଏକ ଛାତିଫଟା ହସ ପରନ୍ତୁ “ଏହି ବିରଳ ମୁହୂର୍ତ୍ତ ତା ପାଇଁ ସ୍ୱଳ୍ପକାଳୀନ”। 'ବୁଲା' ପ୍ରତି 'ମନୋରମା ଦେବୀ'ଙ୍କ ଅତ୍ୟାଚାର ଓ ଦୁଃର୍ବ୍ୟବହାର ଦିନକୁ ଦିନ ବଢି଼ ଚାଲିଥାଏ ମାତ୍ର ଏ ସବୁକୁ ସହ୍ୟ କରିପାରୁନଥାଏ 'ମନୋରମା ଦେବୀ'ଙ୍କ ଝିଅ 'ଖୁସି',ବୟସରେ ସାନ ହେଲେ କ'ଣ ହେବ ଚିନ୍ତାଧାରା ଓ ମାନବିକତା ରେ ସେ ବଡ଼ ମାନଙ୍କନଠୁ ଅଧିକ। 'ଖୁସି' ସବୁଦିନ ସ୍କୁଲ ଯିବା ବାଟରେ ତା'ର ଟିଫିନ୍ କୁ ଲୁଚାଇ 'ବୁଲା'କୁ ଦେଇଦିଏ,ଏବଂ ଟିଫିନ୍ ପାଇବା ପରେ 'ବୁଲା' ର ଆନନ୍ଦ 'ଖୁସି' ମୁହଁରେ ହସ ଫୁଟାଇଦିଏ,ସତେ ଯେପରି 'ବୁଲା' ଚାହିଁ ବସିଥାଏ 'ଖୁସି'ର ସେହି ଟିଫିନ୍ ବାକ୍ସକୁ, ଏହାକୁ ପାଇବାପରେ ସେ ଏକା ନିଶ୍ୱାସରେ ସବୁ ଖାଇପକାଏ,ମାତ୍ର ଏହା ସବୁଦିନ ସମ୍ଭବ ନୁହେଁ,ରବିବାର ଓ ଛୁଟିଦିନ ମାନଙ୍କରେ 'ବୁଲା'ର ଆଶା ମଉଳିଯାଏ । ସବୁଦିନ ପରି ଦିନେ 'ମନୋରମା ଦେବୀ' ଝିଅ 'ଖୁସି'କୁ ସ୍କୁଲରୁ ଆଣିବାକୁ ଯାଇଛନ୍ତି,ରାସ୍ତାର ଆରପାର୍ଶ୍ଵରେ ଛିଡ଼ା ହୋଇଥିବା ଝିଅ 'ଖୁସି','ମା' ଙ୍କୁ ଦେଖି ହଠାତ୍ ରାସ୍ତା ମଝିକୁ ଚାଲିଆସିଲା,ସେହି ସମୟରେ ଏକ ଦ୍ରୁତଗାମୀ କାର୍ ରାସ୍ତାରେ ଯାତାୟାତ କରୁଥାଏ,ଏହା 'ମନୋରମା ଦେବୀ' ଦେଖି ମଧ୍ୟ କିଛି କରି ନପାରି ଅବାକ୍ ହୋଇଯାଇଥିଲେ,କିନ୍ତୁ ଏହି ବିପଦକୁ ଆଗରୁ ଦେଖି ସହି ପାରିନଥିଲା 'ବୁଲା',ଅଧାପାଗଳ ହେଲେ ମଧ୍ୟ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ଓ ସାହସ ଜୁଟାଇ ନିଜେ ନିଜ ଜୀବନକୁ ବାଜି ଲଗାଇ ରାସ୍ତା ମଧ୍ୟକୁ ଚାଲିଯାଇଥିଲା। ପରନ୍ତୁ 'ଖୁସି' ସିନା ବଞ୍ଚିଯାଇଥଲା ମାତ୍ର ରାସ୍ତା ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ 'ବୁଲା' ଛଟ୍ ପଟ୍ ହୋଇ ସବୁଦିନପାଇଁ ଆଖି ବୁଜି ଦେଇଥିଲା । ଅଧାପାଗଳ,ଅନାଥ ଟିଏ ବୋଲି ତା'ର ଜୀବନ ପ୍ରତି କାହାର ନଜର ନଥିଲା, ଏପରିକି ତା'ର ଶବ ଦାହ କରିବାକୁ ମଧ୍ୟ ଲୋକେ କୁଣ୍ଠିତ ମନେ କରିଥିଲେ,ପରେ କେତେକ ସ୍ୱେଛାସେବୀ ମାନଙ୍କର ମିଳିତ ସହଯୋଗରେ ତା'ର ଶବ ଦାହ ସମାପ୍ତ କରାଯାଇଥିଲା | ଏହି ଘଟଣାକୁ ଦେଖି ସାରିବା ପରେ 'ମନୋରମା ଦେବୀ' ଜୀବନର ବାସ୍ତବିକତା କୁ ମର୍ମେ ମର୍ମେ ଅନୁଭବ କରିପାରିଥିଲେ, ସତ ମାତ୍ର ସେତବେଳକୁ ସବୁ ସରିଯାଇଥିଲା,'ବୁଲା'କୁ ଖାଦ୍ୟ ଦେବା ତ ଦୂରର କଥା ତା ମୁହଁ ଦେଖିବା ତାଙ୍କ ପାଇଁ ସାତ ସପନ ହୋଇସାରିଥିଲା। 'ବୁଲା' ପାଇଁ ସେ ଆଜି ନିଜ ଝିଅ କୁ ଫେରି ପାଇଛନ୍ତି ଓ ପୁଣିଥରେ 'ମା' ଡାକ ଶୁଣି ପାରିଛନ୍ତି,ଏହା 'ମନୋରମା ଦେବୀ'ଙ୍କୁ ବହୁ ମାତ୍ରାରେ ପ୍ରଭାବିତ କଲା ସତ କିନ୍ତୁ ସେତେବେଳେ କୁ "ନେଡି ଗୁଡ଼ କହୁଣୀ କୁ ବହି ସାରିଥିଲା" ତାଙ୍କ ପ୍ରଶଂସା ବା କୃତଜ୍ଞତା କୁ ଗ୍ରହଣ କରିବା ପାଇଁ 'ବୁଲା' ଆଉ ଏହି ଦୁନିଆରେ ନାହିଁ । 'ବୁଲା'ର ମୃତ୍ୟୁ ପରେ ରାସ୍ତା ଘାଟ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହେବାକୁ ଲାଗିଲା ଓ ସେଥିରୁ ଦୁର୍ଗନ୍ଧ ବାହାରିଲା ଓ ପରିବେଶ ରୋଗ ଜୀବାଣୁରେ ସଂକ୍ରମିତ ହେବାକୁ ଲାଗିଲା । ଘଟିଥିବା ଘଟଣା ରେ ପ୍ରଭାବିତ ହୋଇ 'ମନୋରମା ଦେବୀ' ମ୍ରିୟମାଣ ହୋଇପଡିଲେ,ଏପରିକି ସେ ନିଜେ ନିଜକୁ ମଧ୍ୟ କ୍ଷମା କରିବାକୁ ସୁଯୋଗ ପାଇନଥିଲେ । ଆଜି 'ମନୋରମା ଦେବୀ','ବୁଲା'କୁ ବହୁତ ଭଲ ପାଆନ୍ତି ଓ ତାକୁ ଖାଇବାକୁ ଦେବାକୁ ଚାହାନ୍ତି,ପରନ୍ତୁ ସେ ତ ଆଜି “ ଦୂର ଆକାଶର ତାରା ହୋଇସାରିଛି ”। ଏହି ଘଟଣା ପରେ 'ମନୋରମା ଦେବୀ' ନିଜେ ଚାରିଆଡେ ସ୍ୱଛତା ଅଭିମୁଖେ ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି,ଓ ପରିବେଶ ସୁରକ୍ଷା ଓ ପରିଷ୍କାର ପାଇଁ ଆଗଭର ହୋଇଛନ୍ତି। ସମସ୍ତେ 'ବୁଲା'ର ମୃତ୍ୟୁ ପରେ 'ବୁଲା'ର ଏ ସମାଜରେ ଉପସ୍ଥିତି କ’ଣ ଥିଲା ତାହା ଅନୁଭବ କରିପାରିଲେ । ମାତ୍ର ଆଜି ବି 'ମନୋରମା ଦେବୀ'ନିଜକୁ କ୍ଷମା କରି ପାରିନାହାନ୍ତି ଓ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି,“ ଏ ଜନ୍ମର କୁକର୍ମ ପାଇଁ ମତେ କ୍ଷମା କରିଦିଅ,ମାତ୍ର ଆର ଜନ୍ମରେ 'ବୁଲା'କୁ ମୋ କୋଳରେ ପୁଅ କରି ଜନ୍ମଦିଅ ”। " ମନୁଷ୍ୟର ଉପସ୍ଥିତି ର ପ୍ରକୃତ ମୂଲ୍ୟ ତା’ର ଅନୁପସ୍ଥିତିରେ ହିଁ ଜଣାପଡ଼େ "

What's Your Reaction?

like

dislike

love

funny

angry

sad

wow