ସମୟ ଚ଼କ୍ର
{ଆଜିର ଅତୀତ କାଲିର ଇତିହାସ}
ବରଷକ ବାର ମାସ ଛଅ ଋତୁ ନେଇ ,
ଦିନ ଆସି ଦିନ ଯାଏ ଅନୁଭୂତି ଦେଇ ।
ଆରମ୍ଭ ତ ବୈଶାଖ ରୁ ଶେଷରେ ଚ଼ଇତ ,
ଋତୁ ଆସି ରଙ୍ଗାଏ ସେ ବିଦାୟ ବସନ୍ତ ।
ବୈଶାଖ ର ଗ୍ରୀଷ୍ମ ତାତି ତୃଷାର୍ତ୍ତ କଷଣ ,
ମୃଦୁ ମଳୟର ସ୍ପର୍ଶ ନିଶା ଆକର୍ଷଣ ।
ଶୀତଳ ପବନ ସଙ୍ଗେ ସୁସ୍ୱାଦୁ ପାନୀୟ ,
ଜ୍ୟେଷ୍ଠ ମାସେ ଗୁଳୁଗୁଳି କରଇ ଅଥୟ ।
ଗ୍ରୀଷ୍ମ ପରେ ବରଷାର ଆଷାଢ଼ ଶ୍ରାବଣ ,
ଶୁଭାଯାଏ ବେଙ୍ଗ ରଡ଼ି ଜାଗେ ଶିହରଣ ।
ମେଘୁଆ ଆକାଶ ସଙ୍ଗେ ବାଦଲ ର ମାଳା ,
ଇନ୍ଦ୍ରଧନୁ ବୋହୂ ସାଜେ ଲଭି ଗ୍ରୀଷ୍ମ ଜ୍ୱାଳା ।
କମ୍ପୁଥାଏ ବିଭାବରୀ ବିଜୁଳି ଗରଜେ ,
ଶୋଭାମୟୀ ବସୁନ୍ଧରା ମେଘମାଳା ସାଜେ ।
ବର୍ଷା ଶେଷେ ଶରତର ଭାଦ୍ରବ ଆଶ୍ୱିନ ,
କାଶତଣ୍ଡୀ ଫୁଲ ମୋହେ ସଭିଙ୍କର ମନ ।
ମାତୃ ଦେବୀ ଦୁର୍ଗା କାଳୀ ବିନାଶର ବେଶେ ,
ହସି ଉଠେ ଧରାପୃଷ୍ଠ ଦଶହରା ମାସେ ।
ହେମନ୍ତର ଆଗମନ କାର୍ତ୍ତିକ ର ପୁଣ୍ୟ ,
ଈଶ୍ୱରଙ୍କ ଉପାସନା ହୁଏ ଜୀବ ଧନ୍ୟ ।
ମଗୁଶିର ଶୀତଳତା ଗୃହେ ଲକ୍ଷ୍ମୀ ବାସ ,
ଲିଭି ଯାଏ ଅର୍ଥାଭାବ ଫୁଟି ଉଠେ ହସ ।
ଶୀତ ଆସେ ହସି ହସି ହେମନ୍ତର ଶେଷେ ,
ହିମ ସ୍ପର୍ଶ ଶୀତଳତା ପୌଷ ମାଘ ମାସେ ।
ବଡ଼ ଲାଗେ ସବୁ ରାତି ଛୋଟ ଲାଗେ ଦିନ ,
କମ୍ବଳ ର ଉଷ୍ମତାରେ ସୁନିଦ୍ରା ସପନ।
ଜାଗି ଉଠେ ତନୁ ମନ ଶୀତଳତା ଛୁଆଁ ,
ଦୂର ହୁଏ ହିମ କଷ୍ଟ ପାଏ ଯେବେ ନିଆଁ ।
ବସନ୍ତର ଆଗମନ ଶୀତର ବିଦାୟ ,
କୋଇଲିର କୁହୁ ତାନ ପ୍ରେମର ହୃଦୟ ।
ପ୍ରକୃତିର ଯୌବନରେ ଫଗୁଣର ହୋଲି ,
ଚ଼ଇତର ଶୋଭାଧାରେ ଶୋଭାମୟୀ ପଲ୍ଲୀ ।
ଆଗମନ ବିଦାୟରେ ଚ଼ାଲିଛି ଜୀବନ ,
ଜୀବନର ଅନୁଭୂତି ଗଢି଼ ତୋଳେ ମନ ।
ଆଜିର ଅତୀତ କାଲି ସାଜେ ଇତିହାସ ,
ମନେ ପଡ଼େ କିଛି କଥା ରହେ ଅବଶୋଷ ।