ଟିକେ ହାଉଲେ
ଆପଣା ସୁନା ତ ଭେଣ୍ଡି
ମମି ପାପା ଡ଼ାକ ସବୁ ଛୁଆ ମୁହେଁ ବୋଉ ବାପା ଡ଼ାକ ଦୂରେ,
ଏ ବି ସି ଡ଼ି ଠାରୁ ଖଡ଼ି ଛୁଆଁ ହୁଏ ଅ ଆ ଥାଉ ପରେ
ଭାଇନା, ଭାଉଜ ଡ଼ାକଟା ଅଡୁଆ କାନ ପାଖେ ତୀର ମାରେ,
ଜିଜୁ, ଭାବୀ ,ବ୍ରୋ ଲାଗେ ତ ମଧୁର ଡ଼ାକେ ତାଙ୍କୁ ଇସାରାରେ
ମଉସା, ମାଉସୀ ଡ଼ାକିଦେଲେ ଟିକେ ଦିନେ ଅବା କାଳେ ଥରେ,
ମୁହଁଟା ଫୁଲେଇ ମାଉସୀ କହୁଛି ଅଙ୍କଲ, ଆଣ୍ଟି ଡ଼ାକିବୁରେ
ସୁନ୍ଦରୀ ଓଠରେ ଲିପିଷ୍ଟିକ୍ ଧାର ସୁନ୍ଦର ତା’ ଯତନରେ,
ବାପା ଡ଼ାକି ଦେଲେ କାଳେ ଲିଭିଯିବ ଡ଼ାକେ ଡାଡି ଧୀର ସ୍ବରେ
ଓଡ଼ିଆ ସିନେମା ଲାଗୁଛି ଅଡୁଆ ମାନ ତା’ର ବିଦେଶରେ,
ବିଦେଶୀ ସିନେମା ମନ କିଣି ନିଏ ଭାଷାକୁ କିଏ ପଚ଼ାରେ
ପିଠାପଣା ଛାଡ଼ି ମୋମୋ, ଚ଼ାଓମିନ୍ ଆଦର ତା’ ଘରେ ଘରେ,
ଦେଶୀ ଗୁଆଘିଅ ସନ୍ଦେହ କରିକି ବିଶ୍ୱାସ ତା’ ନକଲିରେ
ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ବଢୁଛି ଘରେ ଅବା ଉତ୍ସବରେ,
ଭାଷାଟା କମୁଛି ଭାଷଣ ବଢୁଛି ଆଜି ଆମ ସମାଜରେ
ସବୁ ବାବୁମାନେ ଓଡ଼ିଆ ଲଭର ପ୍ରେମ ତାଙ୍କ ଭାଷଣରେ,
କଥା ପଦକରେ ଇଂରାଜୀ ଲାଗଇ ତାଳି ବାଜେ ପ୍ରଶଂସାରେ
ଶୋଷିତ ସମାଜ ବୁଝେ ନାହିଁ କିଛି ଲେଖା ସବୁ ଇଂରାଜୀରେ,
ପାଠକ କହୁଛି ଇଂରାଜୀ ସହଜ ଓଡ଼ିଆକୁ ମୁଁ ଯେ ଡରେ
ଓଡ଼ିଆ ମୁହଁରେ ଓଡ଼ିଆ ଶୁଭୁନି ପ୍ରେମ ତାଙ୍କ ପ୍ରବାସରେ,
ମୁହଁରେ କହନ୍ତି ଗରବେ ଓଡ଼ିଆ କାନ ଶୁଣେ ସନ୍ଦେହରେ
ଓଡ଼ିଆ ଭାଷାର ମାନବୃଦ୍ଧି ପାଇଁ ସବୁ କିଛି ଓଡ଼ିଆରେ,
ଶାସକ ଇଂରାଜୀ ଟାଣିକି କହୁଛି ଶାସନ ମୋ ଓଡ଼ିଶାରେ
କହିଲେ କାହାକୁ ଶୁଣିବ ସେ କିଏ ସମାଜ ତ ଅଡୁଆରେ,
ଇଂରାଜୀ କହିଲେ ସମ୍ମାନ ମିଳୁଛି ଓଡ଼ିଆ ଥାଉ ଦୂରରେ
ଓଡ଼ିଆ ଭାଷାକୁ ଲାଗିଛି ଗ୍ରହଣ ପୂର୍ଣ୍ଣିମାର ଚ଼ନ୍ଦ୍ର ତୀରେ,
ଲୁଚି଼ଯାଏ ଜହ୍ନ ରବିର କିରଣେ ଦେଖା ସେ ଯେ ପୂର୍ଣ୍ଣିମାରେ
ଚ଼େଇଁ ଶୁଅନାହିଁ ଉଠିଯାଅ ଭାଇ ଯୋଡ଼େ ହସ୍ତ ବିନୀତରେ,
ନିଜ ପରିଚ଼ୟ ଭାଷାରେ ନିହିତ ରଖ ତାକୁ ସମ୍ମାନରେ
-ଆଜ୍ଞା ଦୟାକରି ଦେହକୁ ନେବେନି-