ମାଟିର ସ୍ୱର୍ଗ
(ପରିଚ଼ୟ ମୋର ଗାଁ)
ଦୂର ରାଇଜର ଅଜଣା ସହର
ପରିଚ଼ୟ ସାଜେ ଆଜି ମୋ ନିଜର,
ନିଜ ଜନ୍ମମାଟି ବାଟ ବହୁ ଦୂର
ଥାଉ ଦୂରେ ଯେତେ ସବୁଠୁ ନିଜର
ଗାଁ ମାଟି ମୋର ଗଢ଼ା ଷଠିଘର
ବିତିଛି ଜୀବନ ବାଳୁତ କିଶୋର,
ମୋ ଗାଁର ବିଲ,ପୋଖରୀ,ଗୋଚ଼ର
ଥାଉ ଦୂରେ ଯେତେ ସବୁଠୁ ନିଜର
ପହିଲି ବର୍ଷା ସେ ଶୀତୁଆ କାକର
ବାସ୍ନା ଖେଳେ ମନେ ଭିଜା ସେ ମାଟିର,
ମାଟିର ମହକ ସତେ ଯେ ଅତର
ଥାଉ ଦୂରେ ଯେତେ ସବୁଠୁ ନିଜର
ମନେ ପଡ଼େ ଆଜି କୋଇଲିର ସ୍ୱର
ସେ ସ୍ୱରରେ ଥାଏ ପ୍ରେମର ମଧୁର,
ମଧୁରତା ଭରେ ଖୁସି ଜୀବନର
ଥାଉ ଦୂରେ ଯେତେ ସବୁଠୁ ନିଜର
ଯାନିଯାତ,ରଜ,ପୂର୍ଣ୍ଣିମା,ଜାଗର
ଲୁଚ଼ିଥାଏ ଖୁସି ସବୁ ଆନନ୍ଦର,
ଓଦା ମନେ ସ୍ପର୍ଶ ଭିଜା କାକରର
ଥାଉ ଦୂରେ ଯେତେ ସବୁଠୁ ନିଜର
ଦୂର ସହରକୁ କରି ଆପଣାର
ଚ଼ାଲିଛି ଜୀବନ କାନ୍ଧେ ଧରି ଭାର,
କଣ୍ଟକିତ ପଥ ନାହିଁ ଥକିବାର
ଥାଉ ଦୂରେ ଯେତେ ସବୁଠୁ ନିଜର
ମନେପଡ଼େ କେତେ କଥା ଅତୀତର
ଚ଼ାଲି ଆସେ ଲୁହ ଅନ୍ତରୁ ଅଧର,
ଗାଁ ସହ ଛନ୍ଦା ଜୀବନ ଆମର
ଥାଉ ଦୂରେ ଯେତେ ସବୁଠୁ ନିଜର
ଭିଟାମାଟି ମୋର ଗଢ଼ା ପରିବାର
ଦୂରେ ଥାଇ କେବେ କରିନି ଅନ୍ତର,
ମାଟି ନୁହେଁ ସେ ତ ସରଗ ସେ ମୋର
ଥାଉ ଦୂରେ ଯେତେ ସବୁଠୁ ନିଜର