ଲୁହ
{ସୁଖ,ଦୁଃଖ ଓ ଭାବର ପରିଭାଷା}
ପାଣିଠାରୁ ମହଙ୍ଗା ମୁଁ ନୟନର ସାଥୀ,
ସୁଖେ ଦୁଃଖେ ଝରୁଥାଏ ଭାବର ପୀରତି
ଜାଣେନା ମୁଁ କେବେ ଝରେ ଝରେ ଅବା କେତେ,
ଝରି ଝରି ମରିଯାଏ ମନ କହେ ଯେତେ
ହାଲୁକାଏ ମନକୁ ମୋ ଦୁଇ ଟୋପା ଧାର,
ଇସାରାରେ ଚ଼ାଲିଆସେ ଅନ୍ତରୁ ଅଧର
ଲୁଚ଼ିଥାଏ ନୟନରେ ପାଏନା କେ ଖୋଜି,
ଧୋଇବାକୁ ମନ କୋହ ହୁଏନା ଅରାଜି
କିଛି ଲୁହ ଓଠ ପିଏ କିଛି ଯାଏ ଗଡ଼ି,
ନିରୋଳାରେ କୋହ କମେ ଲୁହକୁ ନିଗାଡ଼ି
ଆଖିର ଲୁହକୁ ଓଠ କରେ କିବା ପର,
ଆଖିରୁ ଓଠର ବାଟ ନୁହେଁ ବେଶୀ ଦୂର
ରହିଛି ମୁଁ ରହିଥିବି ସବୁ ସମୟରେ,
ଆଖି ମୋର ପରିଚ଼ୟ ସବୁ ଜନମରେ
ଅନୁତାପ ଅଭିମାନ ସବୁ ମୋ ନିଜର,
ଅବସାଦ ଅବଶୋଷ ଭାରି ଆପଣାର
ଶୈଶବର ଦୁର୍ବଳତା ନିଃସଙ୍ଗ ର ଦୋସ୍ତି,
ବହିଯାଏ ଟୋପେ ଲୁହ ପାଏ ଯେବେ ଶାସ୍ତି
ରହିଯାଏ କିଛି ଲୁହ ପଲକ ଅନ୍ତରେ,
ବାହାରି ପାରେନା ସେ ଯେ ନୟନର ତୀରେ
ଅନ୍ତରର ଲୁହ ଦିଏ ମନେ କିଛି କଷ୍ଟ,
ଅଭିମାନୀ ମନର ସେ ଚ଼ଗଲାମି ଦୁଷ୍ଟ
ଲହୁଠାରୁ ଦାମିକା ମୋ ଲୋତକର ଭାର,
ଲିଭିଯାଏ ଲହୁ କୋହ ଲିଭେନା ଲୁହର
ଓଠ ସିନା ତୁନି ରହେ କିଛି କହେ ଲୁହ,
ମନ ବୁଝେ ମନ କଥା କମିଯାଏ କୋହ
ବନ୍ଧୁତ୍ଵ ମୋ ମନ ସହ ହୃଦୟର ସାଙ୍ଗ,
ବଦଳୁଛି ଏ ସମୟ ଏ ଜୀବନ ରଙ୍ଗ